ଆମେ ଥିଲେ,
ମୁଁ ନଥିଲି।
ଖେଳ ପଡ଼ିଆରେ,ନଈ ତୁଠରେ
ଆମେ ଥିଲେ।
ଖରାବେଳ ଆମ୍ବତୋଟାରେ,
ଅନ୍ଧାର ରାତିରେ
ମାଛ ଜାଲ ଧରି, ଗାଁ ପୋଖରିରେ
ଆମେ ଥିଲେ।
ଜାଣିନଥିଲି ମୁଁ,
ମୁଁ ନଥିଲି ବୋଲି।
କଣ ଦରକାର?
ଆମେ ସବୁ ଥିଲେ
ହାତ ଧରାଧରି ହୋଇ।
ସାଙ୍ଗ ହୋଇ ଯାଇଥିଲେ
ଗାଁ ଯାତ୍ରାରେ
ଅନେକ ବେଳ ଯାଏ ବୁଲି ଚାଲିଥିଲେ,
ଗୋଟେ ପରେ ଗୋଟେ।
ଦୋକାନ ବଜାର ଦେଇ।
ବାଉଁଶରାଣୀ, ବାଇସ୍କୋପ୍ ଖେଳ
ଦେଖୁଥିଲେ ଲୁଚି ଆମେ।
ଆମ ଗାଁ ଝିଅ
ଏକା ଏକା ଦେଖି ତୋତେ
କାଚରା ଦୋକାନେ,
ଭୁଲିଥିଲି ଯାତରା ବଜାର।
ହାତ ଛାଡ଼ି ସାଙ୍ଗସାଥୀ
ହୋଇଥିଲି ଏକା।
ମୁଁ ଥିଲି,
ନଥିଲେ ସେମାନେ।
ଯାଇଥିଲେ ଯେ ଯାହା ବାଟରେ,
ପାଇଥିଲି ମୁଁ ମୋତେ
ତୋ ନିଦୁଆ ଆଖିରେ।
ମୁଁ ଏବେ ଏକା ଏକା
ଧାଇଁଥିଲି ମରୀଚିକା ପଛେ।
ଦେଖି ନ ଦେଖିଲାପରି
ଖାଲି ଯାହା ପାଇଥିଲି ଆଭାସ ତୁମରି।
ସାଗର ଲହରି ପରି
ତୁମ ଦେହେ ରହି,
ଥାଇ ବି ନଥିଲି।
ଯାତ୍ରା ଆମ ପାଖାପାଖି
ନଈକୂଳ ସର୍ପିଳ ରାସ୍ତାରେ,
ଏ କୂଳ ସେ କୂଳ,
ଦେଖାଦେଖି ଚାହାଣିରେ,
କଥାବାର୍ତ୍ତା ହାତ ପାଆନ୍ତାରେ,
ଏପରି ସେପରି।
ସେ ଦେଶର ତୁମେ ରାଜା,
ଏ ଦ୍ବୀପରେ ମୁଁ ଏକା ;
ତୁମେ ମେଘ ଆକାଶର,
ସୃଷ୍ଟି କର ଅନନ୍ତ ସାଗର।
ବରଷାର ଟୋପାଏ ଫୋଟକା,
ପଥଭ୍ରଷ୍ଟ ଜଳଦ କୋଳରୁ
ସାଗର ସନ୍ଧାନେ ଏବେ ହୋଇଲି ତ୍ରିଶଙ୍କୁ।
ତୁମ ବିନା ଏ ପ୍ରାଣ
ଲାଗିଲାଣି ଭାରି ଅଧା ଅଧା।
ଲହରି ମୁଁ ହଜିଯିବି ତୋ ବୁକୁରେ,
ନଦୀର ମୁଁ ଦୁଇ କୂଳ,
ମିଶିଯିବି ସାଗର ସଙ୍ଗରେ।
ଆମେ ପୁଣି ଆମେ ହୋଇ
ଭୂଲିଯିବା ମୁଁ ମୋତେ, ତୁ ତୁମକୁ
ହଜିଯାଇ ପାଇନେବା,
ଆମରି ଠିକଣା।