କବିତାର ସ୍ରୋତ ଥିଲ
ସାହିତ୍ୟର କଠିନ ଶବ୍ଦରେ
ଗଣିତର ସମୀକରଣରେ
ଜ୍ୟାମିତିର କୋଣେ ଅନୁକୋଣେ,
କାଢ଼ିଥିଲ କେତେ କେତେ ଅଜଣା ସମ୍ପର୍କ,
ଜୀବନ ଅନେକ ରହସ୍ୟ
ଖୋଲିଥିଲେ ଆଖି
ଅଳ୍ପ କଥା,ଆଙ୍ଗୁଠି ଠାରରେ।
ସେଦିନ କିଶଳୟ କବିତା ଗୁଚ୍ଛରେ
ଦେଖିଥିଲି ତୁମ ମୁହେଁ
ସନ୍ତୋଷ ଅପାର,
ସତେ ଅବା ପାଇଥିଲ ସରଳ ଉପାୟ
କେଉଁ ଗୋଟେ ଜଟିଳ ଅଙ୍କର।
ଜୀବନକୁ ଦେଇଥିଲ ମେଲି
ନଈ-ନାଳେ, ବରଷା ଧାରରେ,
ନୀଳ ଆକାଶରେ ଆଉ ସାଗର କୋଳରେ।
ବାନ୍ଧି ନ ପାରିଲା ହ୍ରଦ, ସମୁଦ୍ର, ପର୍ବତ
ସାହିତ୍ୟ, ସଂସ୍କୃତ ଅବା ବିଜ୍ଞାନ, ଗଣିତ
ସେଗୁଡ଼ିକ ଏବେ ପରିତୃପ୍ତ ତୁମ
କବିତାର ଅଙ୍ଗ।
ତୁମ କବିତାର ସ୍ବର ପହଞ୍ଚିଛି ଗୋଟିଏ ହୃଦୟେ,
ସଙ୍ଗୀତର ଢ଼େଉ ହୋଇ
ଧୋଇଛି ବେଳାକୁ,
ଚିଲିକାର ପକ୍ଷୀ ହୋଇ ଯାଇଛି ଦୂରକୁ।
ସୀମାହୀନ ଦୁନିଆର ଅବାଧ ଚଢ଼େଇ,
ଶୃଙ୍ଖଳାକୁ ଦେଇଛି ଛିନାଇ,
ଉଡ଼ିବାକୁ ଦୂର ଦିଗ୍ବଳୟେ,
ବିଞ୍ଚିଦେଇ ସଙ୍ଗୀତ ଲହରୀ।