ଜୀବନକୁ ସମୟର ଶାଣିତ ଖଡଗରେ
ଟିକି ଟିକି କରି , ଚିରି ଚାଲିଥିଲି ,
ବର୍ଷ ,ମାସ ,ଦିନ ଓ ଘଣ୍ଟାରେ ।
ବୟସର ଦୀର୍ଘତାକୁ
କୈଶବ, ଯୌବନ ଆଉ ବାର୍ଦ୍ଧକ୍ୟର
ସଙ୍ଗୟାରେ ଆବଦ୍ଧ କରିଲି ,
ଅଲଗା ଅଲଗା ସ୍ଵାଦ ନେବାକୁ ।
ଅନୁଭବ କୁ ପୃଥକ କରି
ସୁଖ ଓ ଦୁଖରେ ବାଣ୍ଟିଲି ,
ପ୍ରେମକୁ ଭଲପାଇବା ଆଉ ପ୍ରତାରଣାରେ,
ସ୍ଵାଦକୁ ଖଟ୍ଟା , ମିଠା ,ପିତା ଓ କଷାରେ ।
ଜୀବନ ବହି ଚାଲେ ଅନେକ ଦ୍ଵନ୍ଦରେ ।
ମନଗଢା ବିଭିନ୍ନତା
ଆଉ କିଛି ସମାଜର ସୀମାରେଖା ତଳେ ।
ଯେବେ ତୁମେ ଆସିଥିଲ
ମୋ ଦେହେ , ମୋ କୋଳ କୁ
ଛାତି ତଳେ ଟିପ ଟିପ ଶବ୍ଦ କରି
ଜୀବନର ଅର୍ଥ ନେଇ
ହାତ ଧରି ନେଇ ଯିବା ପାଇଁ
ନୂଆ କେଉଁ ଅଜଣା ରାସ୍ତା ରେ ,
ପାଇବାକୁ ସ୍ରଷ୍ଟା ର ଠିକଣା ,
ହଜିଯାଇ ପାଇବାକୁ ଜୀବନ ରହସ୍ୟ ,
କେହି ଜଣେ ବୁଦ୍ଧ ,ଯୀଶୁ ପରି ।
ଛନ୍ଦା ଗୋଡ ବୁଢିଆଣୀ ଜାଲେ
ଚାଲିବାକୁ ନ।ହିଁ ବଳ
କ୍ଲାନ୍ତ ଡେଣା,
ବନ୍ଦୀ ଏକା ଛଟ ପଟ ପଡି କାରାଗରେ,
ମନ ଗଢା ପ୍ରାଚୀର ଭିତରେ ।
ସମୟକୁ ଗଣି ଗଣି,
ଯୌବନକୁ ଝୁରି ଝୁରି ,
ଦୁଖ ଜଞ୍ଜାଳକୁ ଡରି
ସୁଖର ସନ୍ଧାନେ
ଜୀବନକୁ ବଳି ଦେଲି
ସପନ ରାଇଜେ ।
ଏବେବି ଦେଖିବି,
ଥର ଥର ହାତରେ
ଜାବୁଡି ଧରିବି ,
ଭୁଲେଇବି ଅତୀତର ମତୁଆଲା କଥା ।
ରୋକି ନେବି ସମୟର ମନ ଗଢା ଚକ,
ନିଶତ୍ବ୍ଧ ଜୀବନ କୋଳେ,
ଶୁଣିନେବି ଛାତିତଳ ଟାପ ଟାପ ସ୍ଵର ।
ଆଖିବୁଜି ଦେଖି ନେବି ତୋତେ ,
ଦେହ ଦେଇ ପାଇ ଯିବି ତୋତେ ।
ସମୟ କୁ ବଳି ଦେଇ
ଅନ୍ତହୀନ ସାଗର କୋଳରେ ,
ଖୋଜି ନେବି ତୋତେ ।