ବୁଝିବାକୁ ବହୁତ ଚେଷ୍ଟା
ଜାଣିବାକୁ ଇଚ୍ଛା,
ଭାବିବାକୁ ଲଗାମଛଡ଼ା ଘୋଡ଼ା,
ଅତୀତର ଆବିଷ୍କାର
ଭବିଷ୍ୟତର କଳ୍ପନା
ଲେଖୁଥିଲି ଜୀବନ ରହସ୍ୟ।
ଏଠି ସେଠି, ଗଛ ମୂଳେ
ନଦୀ କୂଳେ, ରାସ୍ତା କଡ଼େ
ଖେଳ ପଡ଼ିଆରେ
ଦେଖିଥିଲି ଜୀବନକୁ
ହାତ ଜାବୁଡ଼ାରେ।
ଭାବିଥିଲି ଦୂର ପାହାଡ଼ରେ
ବୁଦ୍ଧ ବିହାରରେ, ରତ୍ନଗିରି ଉହାଡ଼ରେ
ବ୍ରାହ୍ମଣୀ ନଦୀର ତୀରେ,
ପଚାରିଥାଆନ୍ତି…
ଏ ଯାତ୍ରାର କି ଅର୍ଥ!
ତୁମ ଆଖିରେ ହଜିଥିଲି
ପଛେ ପଛେ ଯାଇଥିଲି,
ଗାଇଥିଲି ଗୀତ।
ଛାତି ତଳୁ ବୋହିଥିଲି
ଗଦା ଗଦା ନିଆଁ,
ଖୋଜିଥିଲି ଜୀବନକୁ
ତୁମ ଗଭା ଫୁଲେ।
ହେଲେ କେତେ ଅସ୍ପଷ୍ଟ
ଅଜଣା, ଅଦୃଶ୍ୟ
ଅନ୍ତହୀନ ଅସରନ୍ତି ବାଟ।
ତୁମେମାନେ ଆସିଥିଲ
ଜଣେ ଜଣେ ହୋଇ
ଘେରିଥିଲ ମହୁମାଛି ଫେଣା।
ଜୀବନକୁ ଟିକି ଟିକି କରି
ଦେଇଥିଲି ଯାଚି।
ବୋଧହୁଏ ଜାଣିଥାନ୍ତି ତୋତେ
ବୁଝିଥାନ୍ତି ମୁଁ ମୋ ନିଜକୁ।
ଜାଣୁଥିଲି ଜୀବନଟା
ଖାଲି ଜିଇଁବାକୁ
ଜାଣିବାକୁ ନୁହେଁ,
ବୁଝିବାକୁ ଲୋଡ଼ା ନାହିଁ
କିଛି ନାହିଁ ଅତୀତ ଏହାର
ଦେଖିନାହିଁ ଭବିଷ୍ୟତ
ଯାହା ଅଛି, ଯେତେ ଅଛି
ସବୁକିଛି ମୋ ହାତେ
ଯେତେ ନେବୁ, ସେତେ ଅଛି
ଶୋଚନା କାହିଁକି!