ପ୍ରଥମ ଦେଖା
କୈଶୋରର ପ୍ରଥମ ସକାଳେ
ଦେଇଥିଲ ପଥର ଦେହରୁ
ମୁଠାଏ ଉଷ୍ମତା।
ତୁମ କୋଣ-ଅନୁକୋଣେ
ପାଇଥିଲି ସ୍ପର୍ଶ,
ଦୁଲୁକାଏ ପବନର
ମତୁଆଲା ହସ।
ବାରଶହ ଚଢ଼େଇଙ୍କ
ପ୍ରେମର କାହାଣୀ,
ବିରହର ଘୂର୍ଣ୍ଣିବାତ୍ୟା
ଛାତିତଳ ଦରଦୀ ଗୁହାରି।
କେତେଦିନ ପରେ ଯେବେ
ହାତଧରି ତୋ କୋଳରୁ
ନେଇଥିଲି ସୁନ୍ଦର ମୂରତି,
ଫେରିଥିଲି ଢାଳିବାକୁ
ଛାତିତଳ ପ୍ରେମର ପସରା।
ସାକ୍ଷୀ ଥିଲେ ନର୍ତ୍ତକ-ନର୍ତ୍ତକୀ
ଦେଇଥିଲ ପରଶରେ ଆଶା
ବାନ୍ଧିବାକୁ ପିଞ୍ଜୁରିରେ ବସା।
ଚାନ୍ଦିନୀ ରାତିରେ ଦିନେ
ଆସିଥିଲି ଫେରି,
ସଂଗୀତର ଳହରିରେ
ଉଠିଥିଲେ ପଥର ଦେହରୁ
ଅସଂଖ୍ୟ ଅପ୍ସରୀ।
ଧାଇଁଥିଲି ଚନ୍ଦ୍ରଭାଗା ତୀରେ,
ଜାଣିବାକୁ ଜୀବନ ରହସ୍ୟ
ସାଗରର ଲହରୀ ମାଳାରେ।
ମୁଁ ଏବେ ଭଙ୍ଗାରୁଜା
ତୋ ପରି,
ହୃଦ ମୋର ଫଟା,
ବନ୍ଦୀ-କାରାଗାରେ
କଳାପାହାଡ଼ଙ୍କ ମେଳେ
ଖୋଜିବୁଲେ ପାଇବାକୁ ମୁକ୍ତି।
ଫେରିବାକୁ ସେ ରାଇଜେ
ଦେଖିବାକୁ ବାରଶ’ବଢ଼େଇ,
ଅଧାଗଢ଼ା ଦେହ ତୋର
ମୁଣ୍ଡେ ହାତ ବିଶୁ ମହାରଣା,
ଧର୍ମପଦ, କଳସ ତା’ ହାତେ
ପୋତିବାକୁ ମୋ’ ଜାତିର ଧ୍ବଜା।
ଜୀବନର ଅର୍ଥ ନୁହେଁ
ଖାଲି ବଞ୍ଚିବାରେ,
ନୃତ୍ୟରତ ଏ ପରାଶେ
ଜାଳିବାକୁ ଅହଂକାର ସ୍ବାର୍ଥ,
ପଥରରେ ଦେବାକୁ ଜୀବନ
ଗଢ଼ିବାକୁ ପ୍ରେମର କୋଣାର୍କ।