କଳା-ଧଳା ଅନେକ ବାଦଲ
ମୋ ଦେହରେ,
ଅନେକ ଆକୃତି
ଚିକିମିକି ଆଲୁଅରେ ଝରା
ସୁରୂଯର ଲୁଚକାଳି ଖେଳ
କେବେ କେବେ ବିଜୁଳି
ଆଉ,ଘଡ଼ଘଡ଼ି ଶବ୍ଦ।
ଆଖି କୋଣେ ଏଡ଼ାଇବା ପାଇଁ
ଛାତି ତଳ ଚାପ ସ୍ରୋତ
ଖୋଲି ଦେବାପାଇଁ
କେତେ କଲି ଚେଷ୍ଟା।
କହ କେବେ ତୋ ଓଢ଼ଣା ତଳୁ
ଦେଖିଚି ତୋ ମୁଣ୍ଡନୁଆଁ ମୁହଁ?
ଜାଣିବାକୁ କରିଥିଲି ଇଚ୍ଛା,
କାହାପାଇଁ ଗୋଡ଼ ବନ୍ଧା
ହାତରେ ଶିକୁଳି
ଖୋଲିବାକୁ ଚାହିଁଥିଲି,
ଚାହିଁଥିଲି ଜୀବନର
ଶେଷ ଚଲା ରାସ୍ତା।
ବୁଝି ବି ନଥିଲି ପାରି
ବୁଝିବାକୁ କାହିଁ ଥିଲା ମନ
ଅବୁଝା ଅକୁହା ସତେ କେତେ ଥିଲା ଭଲ!
ହେ ଆକାଶ, କେବେ ହେବ ଖାଲି
ମନଖୋଲି ଖେଳିବାକୁ ଆଉ ଥରେ
ତୋ ଅଗଣାରେ,
ତାରା ମେଳେ, ଜହ୍ନ ଆଲୁଅରେ
ଲେଖିବାକୁ ଅନେକ କବିତା,
ପୁଣି ଯଦି ଫେରିବାକୁ ହୁଏ
ପୋଛିଦେବୁ ଅନାବନା ବାଦଲଗୁଡ଼ାକୁ
ଆଖିବୁଜି ଦେଖି ନେବି
ମୋ’ ଆକାଶକୁ।
ତୁ ହୁଏତ ଅଜଣା ନ ଥିବୁ
କେବେ କେବେ ରାତି ଯାଏ ଶୋଇ
ରାବଣର ଭାଇପରି
ଭୁଲିଯାଏ ଉଠିବାକୁ
ଅପେକ୍ଷା ହିଁ ଏକମାତ୍ର ପନ୍ଥା।
ଆକାଶରୁ ଫେରିଲେଣି ଚଢ଼େଇଗୁଡ଼ିକ
ଯେ’ ଯାହା ବାଟରେ
ଆଖିଟେକି, ବିଶ୍ବାସ ବଢ଼ାଇ
ତୁ କ’ଣ ଚାଲିବୁନି ତୋ ନିଜ ବାଟରେ?
ତୋ ଆକାଶ ତୋ ଭିତରେ
ଆଖିମେଲି ଜଗିରହ
ସବୁକିଛି କେତେ ଶାନ୍ତ
ନୂଆ ସୂର୍ଯ୍ୟ ହୁଏତ ନିକଟ।