ଆ’ ତୋତେ ଜାବୁଡ଼ି ରଖିଚି
ମୋ ବୁଜିଲା ଆଖିପତା ତଳେ,
ଲୁହ ହୋଇ ଗଢ଼ିଗଲେ
ହାତ ପାତି ନେବି ଧରି
ବେକ ତଳେ ପୋଛି ଦେଇ
ସାଇତିବି ମୋ ଛାତି ଭିତରେ!
ବଦଳିଛି ଜଙ୍ଗଲରେ ରଙ୍ଗ
ଆମ ଗାଁ ନଈର ଗରଉ,
ପଡ଼ିଆ ଖଣ୍ଡିଆଭୂତ, ଉଦୁ ଉଦୁ ଖରା
ଥକ୍କା ଚାଷୀ ଗଛମୂଳେ
ପୋଛୁଛି ତା ଝାଳ।
ଏତେ ବର୍ଷ ଗଲା ଗଡ଼ି
ବୁଝିଲି ତୋ ପ୍ରେମ
ପାଖେ ଥାଇ ଦୂରେ ଥିଲି
ଉଭେଇଲା ଭ୍ରମ।
ଆସିଥିଲୁ ଅନେକ ବେଶରେ
ଟିକି ଟିକି ହସରେ
ଚୂନା ଚୂନା ଫୁଲ ମହକରେ।
ଢ଼ଳ ଢ଼ଳ ଝରଣା ନାଦରେ,
ଆଉ କେବେ-
ନଈ କୂଳ ସଞ୍ଜୁଆ ପବନେ।
ସକାଳୁଆ ସୁରୂଯରେ
ନ ଥିଲି ଯା’ ପାଇ,
ମେଘଢଙ୍କା ଚାହାଣିଟା
ଦେଲା ତା ବୁଝାଇ।
କେମିତି ଜାଣିବି (?)
ତୁ ବିରହିଣୀ,
ଆସିଥିଲୁ ଶ୍ରାବଣର ବର୍ଷା ହୋଇ,
ସାଗରର ଢେଉ ପରି
ଛୁଇଁବାକୁ ମୋ ଶୁଖିଲା ଛାତି।
ଆଶ୍ବସ୍ତ ମୁଁ ଆଜି
ଗଲା ସରି ଲୁଚକାଳି ଖେଳ
ମୁହାଁମୁହିଁ ଏବେ ଆମେ
ପାଟିକରି ଅନେକ ଦିଗନ୍ତ
ହଜିଯାଇ ପାଇନେବା ଆସ
ଜୀବନର ସତ୍ୟ।