ସାଗର।
ତୋ ବେଳାଭୂଇଁ ଛୁଇଁ,
ଢେଉମାନେ ହାରିଥିଲେ
ମାନ ଅଭିମାନ।
ମିଶିଯାଇ ବାଲୁକା ଶେଯରେ
ଭୁଲିଥିଲେ ଜୀବନ ବୃତ୍ତାନ୍ତ।
ଜୀବନ ।
କିଏ କହେ ତୁ ଗୋଟେ
ନଈର ପ୍ରବାହ, କିଏ କହେ
ପାଦଚଲା ଆମ ଗାଁ ରାସ୍ତା,
ପାହାଡ଼ିଆ ଝରଣାର ସୀମା।
ଆକାଶ।
ତୁ ନୁହେଁ ବନ୍ଧା କେବେ
ମୋ ମନ ଜଞ୍ଜିରରେ,
ତୋ ଦେହରେ ବହୁ ସମ୍ଭାବନା,
ଧରିକି ପାରିବି ତୋତେ ହାତ ଆଞ୍ଜୁଳାରେ,
ପୋଛି ଦେଇ କୁହୁଡ଼ି ପରଦା।
କୁହୁଡ଼ି,
ତୋ ପଣତେ ଲୁଚାଇ ପାରିଲୁ
ସାଗର ଲହରି ସଙ୍ଗେ ଆକାଶ ପରିଧି,
ଜୀବନର ଅନାବନା କାହାଣୀର ଗ୍ରନ୍ଥ,
ପାହାଡ଼ିଆ ଝରଣା ଓ ନଈ,
ସ୍ରଷ୍ଟାର ରହସ୍ୟ ଆଉ ସୃଷ୍ଟି ଏ ଅନନ୍ତ।