ଖାଲି ତୁ ନୁହଁ
ଦୁନିଆର ସବୁ ମୁହଁ
ମୋ ଆଖିରେ,
ମୋ ଛାତିରେ
ଧରିଥିଲି
ମିଞ୍ଜି ମିଞ୍ଜି ଟିକି ଟିକି ସ୍ବପ୍ନ।
ତୋତେ ଯଦି ପାରିଥାନ୍ତି ନେଇ
ହାତ ଧରି, ଆଙ୍ଗୁଳି ଦେଖାଇ
ଦେଖିଥାନ୍ତି ତୋ ଓଠରେ ହସ,
ଶୁଖିଲା ଜୀବନେ ତୋର
ଭରିଥାନ୍ତି ପ୍ରାଣ।
କଅଁଳିଆ ସବୁଜ ପତ୍ରରେ
କଇଁଫୁଲେ
ଜହ୍ନଆଲୁଅରେ
ଆମ୍ବଡାଳେ, କୋଇଲି ଗଳାରେ,
ନଈ ତୁଠ କାଶତଣ୍ଡୀ ଫୁଲେ,
ସବୁବେଳେ ମୋ ଛାତି କୋଳରେ।
ଦେଖା ସିନା ଏବେ
ଭଲପାଏ ଅନେକ ଦିନରୁ
ଚାହିଁଥିଲି ବାଟ ତୋର
ବସିଥିଲି ଜଗି
ନେଇଯିବି ତୋ, ସ୍ବପ୍ନର ସେପଟେ
ପରିଚୟ କରାଇ ନିଜକୁ।
ଚକାଭଉଁରିର ଖେଳ
କେବେ ହେବ ଶେଷ,
ଆଖିକୋଣେ
ଅନନ୍ତ ଆକାଶେ
ଉଡ଼ି ଉଡ଼ି ଯିବା ଲଂଘି
ସପନ ରାଇଜ।
ଶତ ସୂର୍ଯ୍ୟ ତୋର ଆଗମନେ
ଢାଳେ କେତେ ପ୍ରେମର କିରଣ
ଶୀତଳ ପବନ ଆଉ
ସୁମନ ପରଶ,
ନୀରବ ସାଗର କହେ
ତୃପ୍ତିର ସଙ୍ଗୀତ।
ପ୍ରକାଶିତ:‘ଓଡ଼ିଆ ସମାଜ’ (ଡେରାଡୁନ)