ଜୀବନର ଅପରାହ୍ନରେ
ଆଶା ନିରାଶାର ଢେଉରେ
ଭଲପାଇବା ଓ ଘୃଣାର ଅଭିନୟରେ
ଲାଭ ଓ କ୍ଷତିର ହିସାବ କରି
ଅତୀତକୁ ବଦଳେଇବା ପାଇଁ
ହାତରେ ଈର୍ଷା ଓ କ୍ରୋଧର ଅସି ଧରି
ମୁମୂର୍ଷୁ ମୁହୂର୍ତ୍ତକୁ ରକ୍ତାକ୍ତ କରିଚାଲିଛି।
ପ୍ରକୃତିର ସୌନ୍ଦର୍ଯ୍ୟକୁ
ବଗିଚାର ଛନଛନିଆ ଫୁଲକୁ
ଘାସ ଉପରର ସକାଳିଆ କାକରକୁ
ମୋ ହାତରେ ମିଟେଇ ଦେଇ
ମୋ ଅତୀତର ଆକୃତି ଦେଇ
ଧାଡ଼ି କରି ସଜେଇ ଦେଇ
ସ୍ବପ୍ନର ନାଟକ ରଚିଲି।
ଝରଣାର କୁଳୁକୁଳୁ ନାଦ ନାହିଁ
କୋଇଲିର ରାବ ନାହିଁ
କାହିଁ ତୋଟା ଛାଇ
ପ୍ରଜାପତିର ଅବନା ବୁଲାଣି
ଗୋଧୂଳିର କୋଳାହଳ
ପଡ଼ିଆରେ ଫୁଟବଲ ଖେଳ
ସକାଳ ଆଜି ମୁରୁଝାଇଛି
ଅତୀତକୁ ସଜାଡ଼ିବା ପାଇଁ
ଭବିଷ୍ୟତର ବଳି ଦେଇଛି।
ମୋ ଅପରାହ୍ନ ଆଜି ଅନେକ ସୁନ୍ଦର
ଏହି କ୍ଷଣ ମୋ’ ପାଇଁ ବିଭୋର
ଅତୀତ ବହୁଦୂରେ
ଆଗେ କିଏ ବା କହିବ!
ସଜାଡ଼ିବାକୁ ନାହିଁ କିଛି
ପ୍ରକୃତି ସତେ କି ସୁନ୍ଦର!
ଆବଶ୍ୟକ କିବା ସ୍ବପ୍ନ ଦେଖି
ତୃପ୍ତି କେତେ ଏ ଅଭିନୟରେ!
ସତେ ଯଦି ଏବେବି ପାରନ୍ତି
ଫୁଲର ମହକ ଜାବୁଡ଼ି ଧରନ୍ତି।
ରଙ୍ଗକୁ ଲାଲ୍ ନ କହି
ଗୋଲାପରେ ଡୁବି ରହିଥାନ୍ତି,
ଈଶ୍ବରଙ୍କୁ ଈଶ୍ବର ନ କହି
ଭାବରେ ଡୁବନ୍ତି,
ମୋ ଶରୀରର ଅଙ୍ଗକୁ
ଜୀବନର ସଂଜ୍ଞା ଭିତରେ ବାନ୍ଧି ନ ରଖନ୍ତି,
ଅତୀତକୁ ଭୂଲି ଯାଇ
ଆଜିର ନିଶାରେ
ଜୀବନକୁ ପୁଣି ଜିଅଁନ୍ତି।