ଅଜଣା ରାଇଜର ରାଜା ହୋଇ
ହଜି ଯାଇଥିଲି ସୁଖ ଓ ବୈଭବର ପ୍ରାସାଦରେ ।
ଚାରିପାଖେ ସେବକ ସେବୀକା ,
ମୃଦୁ ବାଆ , ବିଳାସ ବାସନା ।
ପାଇଥିଲି ପାରିକରି ବହୁତ ଜନମ
ତୁମ ସ୍ନେହ , ପ୍ରେମର ପରସ ।
ଅସରନ୍ତି ପସରା ସୁଖର ,
ବହୁ ଦୂରେ ରାତିର ଅନ୍ଧାର ।
କ୍ଳାନ୍ତ ମନ ସ୍ପୃହାହୀନ ପ୍ରାଣ
ନଥିଲା ଜୀବନେ କିଛି ଖଟାମିଠା ସ୍ଵାଦ ।
ଫେରିବାକୁ ବାସ୍ତବ ବିଶ୍ଵରେ ,
ଠିଆ ହେଲି ଶେଯ ଛାଡି
ସକାଳର ପ୍ରଥମ ଖରାରେ ।
ସ୍ଵପ୍ନ ମୋର ଯାଇଥିଲା ଭାଙ୍ଗି
ଫେରିଥିଲି ରାଜଗୃହ ଭୁଲି ।
ଭାବିଥିଲି ଲେଉଟିବି ତୁମ ଦୁନିଆରେ ,
ହେଲେ ,
ଦିନ ରାତି ,ଖରା ବର୍ଷା ,ମାସ ଓ ବରଷ ,
ଝରଣାର କୁଳୁ କୁଳୁ ଧାର,
ନଦୀ ସ୍ରୋତ , ଜୀବନ ପ୍ରବାହ ,
ଆଣିଥିଲେ ମାନେ ଭ୍ରାନ୍ତି
ସପନକୁ ଦେଇ ଗୋଟେ ବାସ୍ତବ ସ୍ୱରୂପ ।
ଅଜ୍ଞାନ ର ଅନ୍ଧାର କୋଠରୀ
ଗଢିଥିଲା ସୁନ୍ଦର ସପନ ,
ଭରିଥିଲା ଜୀବନରେ ନଶା,
ଭୁଲିଥିଲି ନିଜେ ବି ନିଜକୁ ,
ବୁଲି ବୁଲି ସହରେ , ଜଙ୍ଗଲେ ,
ଖୋଜିଥିଲି ଠିକଣା ନିଜର ।
ପରିଚୟ ମାଗି ମାଗି ଯାଇଥିଲି ଦୂରେ ,
ପାରିକରି କେତେ କେତେ ଜନମ ମରଣ ।
ସପନ ସହଜ ସିନା ସପନ ରାଇଜେ ,
କେତେ ଦିନ ଥିବା ରହି ବାସ୍ତବ ଠୁ ଦୂରେ ?