ଫେରିବାକୁ କ’ଣ ଥିଲା ବାକି
ଜୀବନର ଅନେକ ଆଗରେ
ଛାଡ଼ିଥିବା ସ୍ମୃତିସବୁ
ପ୍ରତାରିତ ପରିବାରମାନେ
ରାସ୍ତାକଡ଼ର ଅନୁଭୂତି
ଦୁଖ, ଦୁଃଖ
ଆଶ ଓ ନିରାଶା
ଲୋଭ, ମୋହ
ସ୍ନେହ ଆଉ ରୋଷ
ମୁଁ ଯେବେ ପହଞ୍ଚିଲି
କ’ଣ ଥିଲା ବାକି।
ନିର୍ବାଣରେ ନଥିଲି ମୁଁ
ନଥିଲା ଅସ୍ତିତ୍ବ
ସାଗରରେ ଲୀନ ହୋଇ
ଭୁଲିଥିଲି ସବୁ,
କିଏ ଦେଲା ସ୍ବପ୍ନ ପୁଣି
ଫେରିବାକୁ
କହିବାକୁ କ’ଣ ଥିଲା ବାକି।
ହରାଇଲି ବୁଦ୍ଧକୁ ମୋ
ଫେରିଥିଲି କୋଳାହଳ ବେଳେ।
ସବୁ ପାଇ କ’ଣ ଥିଲା ଏଠି
ଖୋଜିବାକୁ ହିଁ କାହିଁପାଇଁ ଜନନୀର କୋଳେ।
କହିଥିଲି ମୁଁ ନୁହେଁ
ସେ ଥିଲା ଆଉ ଜଣେ
ପାଇଥିଲା ସବୁକିଛି ଯିଏ,
ମୋ ଯାତ୍ରା ଅସମାପ୍ତ
ଫେରିଥିଲି ପାଇବାକୁ ଆଉ କିଛି
କ’ଣ ଅବା ଦେଇ ପାରିଥାନ୍ତି
ମୁଁ ନିଜେ ଖୋଜୁଥିଲି
ଅସଜଡ଼ା ଆଖି।
ବନ୍ଦୀ ହେଲି ଅନ୍ଧ କୋଠରୀରେ
ଆସିଥିଲେ କଣ କଣ କରି
ମୁହଁ ଖୋଲି କଥା ନେବା ପାଇଁ
ସ୍ବାଦର ଭାଷା ଜାଣିବାକୁ
ସ୍ବରର ରୂପ ଦେଖିବାକୁ
ହୃଦୟର ତାପ ମାପିବାକୁ
ନିର୍ବାଣକୁ ଧର୍ମର ନାମ ଦେବାପାଇଁ
ମନ୍ଦିରର ପଥର ଗୃହାରେ
ମୂର୍ତ୍ତୀର ଉଢ଼ାଳେ
ପୁସ୍ତକର ଢେର ଭିତରେ
ଭୁଲିଥିଲି ମୁଁ ନିଜେ
ଆସିଥିଲି କାହାପାଇଁ
କ’ଣ କହିବାକୁ।
ଫେରିବାର ରାସ୍ତା ଥିଲା ରୁଦ୍ଧ
ଜୀବନ ଦର୍ଶନର
ଅନେକ ତର୍ଜମା,
ବୋଧିତ୍ବର କାହାଣୀ
ଉପାୟ ଓ ନିୟମର କଥା।
ଗଢ଼ିଥିଲା କେତେ ବଡ଼
ସ୍ବପ୍ନର ସହର,
ବୁଦ୍ଧ ତୁମେ ସତେ ଯଦି
ଫେରିବାକୁ କରିଥାନ୍ତ ମନା…!