ବରଗଛତଳେ ଚାଟଶାଳୀରେ
ପଣିକିୟାର ସମ ସ୍ବର,
ସକାଳୁଆ ସୁଲୁସୁଲିଆ ପବନରେ
ପାଖ ଆମ୍ବ ଗଛଡାଳୁ
କୋଇଲିର ଡାକ।
ମନ ମୋର ଉଡି ଚାଲି ଥିଲା,
ଅଲଗା ରାଇଜେ ଦୁର ପାହାଡରେ।
ଆମ ଗାଁ ଉପର ମୁଣ୍ଡ
ରତ୍ନଗିରିର ଗୁମ୍ଫାରୁ
ଭାସି ଆସୁଥିଲା ବୁଦ୍ଧଭିକ୍ଷୁଙ୍କ ତାନ।
ଆଜି ଗୁରୁ ପୂର୍ଣ୍ଣିମା
ମୁଣ୍ଡ ମାଡି ଗୋଡତଳେ
ମାଗିଥିଲ ଆର୍ଶୀବାଦ
କର ମୋତେ ବିଶ୍ବଜୟୀ,
ପାଇନି ଏ ଦୁନିଆର ସୁଖ ଓ ସମ୍ପଦ।
ଠେଲି ଦେଇ ଗାଆଁ ଚାଟଶାଳୀ,
ଦେଖିନିଏ ତକ୍ଷଶୀଳା,ନାଲନ୍ଦା ଦୁଆର।
ହାତ ଟେକି ଆଙ୍ଗୁଳି ଦେଖାଇ
କହିଥିଲ ଏହି ସେହି ବାଟ।
ଡେଣା ମେଲି ଯାଇଥିଲି ଉଡି
ଗାଁ ଦାଣ୍ଡ ,ନଈ ନାଳ ଡେଇଁ,
ପାଇବାକୁ ଗଗନର ସ୍ପର୍ଶ,
ଭେଦିଥିଲି କଳା ମେଘମାଳ।
ଗୋଟେ ପରେ ଗୋଟେ ଅନେକ ଆକାଶ,
କେତେବିଶ୍ବ, ଆଉ ସୁର୍ଯ୍ୟ,ଅସଂଖ୍ୟ ନକ୍ଷତ୍ର।
ଅନ୍ତହୀନ,ସୀମାହୀନ ବିସ୍ତୁତ ସଂସାର।
ଅସମର୍ଥ ବୁଝିବାକୁ ଏହାର ରହସ୍ୟ।
ମୋତେ ଯଦି ରଖିଥାନ୍ତ ଧରି
ତୁମରି କୋଳରେ,
ଖୋଜିଥାନ୍ତି ଜୀବନକୁ ଗାଁ ଅଗଣାରେ,
ଗାଁ ନଇ ଗୋଡ ପୋତା ତତଲାବାଲିରେ,
କିଆବାଡ଼ କଣ୍ଟେଇ କୋଳି ରେ,
ଆଉ କିଛି ସଂଜବେଳା ପାଉଁଶ ଧୂଆଁରେ,
ଏବେବି ସମୟ ଅଛି
ଜାବୁଡ଼ି ରଖିବି ମୋ ଗାଁ ମାଟି
ଫେରି ଯିବି ବରଗଛ ତଳେ
ମୁଣ୍ଡ ମାଡି ଚାଟଶାଳୀ ଭୁଇଁ
ହାତ ଖୋଲି ଦେଇ ଦେବି
ବାକି ସବୁ କିଛି।
ଆଖି ବୁଜି ସୁଝି ଦେବି ଜୀବନ କେମିତି।